Unknown

 

 

 

 

 

 

 

 

 

 

 

ସୂର୍ଯ୍ୟୋଦୟଦେଶ : ଜାପାନୀ ପିଲା

ଅଧିରାଜ ମୋହନ ସେନାପତି

 

ସୂର୍ଯ୍ୟୋଦୟର ଦେଶ : ଜାପାନୀ ପିଲା

Image

କାହ୍ନୁ ଜହ୍ନମାମୁଁଙ୍କୁ ସାଙ୍ଗରେ ତିନିଟା ଦେଶ ବୁଲି ଆସିଲାଣି । ବରଫ ଦେଶରେ ଯେପରି ଥଣ୍ଡା, ମରୁଭୂମିରେ ଦେଶରେ ସେହିପରି ଗରମ । ତା’ପରେ ସେ ତୃଣଭୂମିରେ ବୁଲି ଲୋହିତ—ଭାରତୀୟମାନଙ୍କୁ ଦେଖି ଆସିଲା । ଦେଶ ବୁଲିବାର ତା’ର ଏପରି ଆଗ୍ରହ ଦେଖି ଜହ୍ନମାମୁଁ ତାକୁ ଆଉ ଗୋଟାଏ ଦେଶ ବୁଲି ଆସିବାକୁ ଡାକିଲେ ।

 

ଜହ୍ନମାମୁଁ କାହ୍ନୁକୁ କହିଲେ–ହଇରେ କାହ୍ନୁ ! ତୁ ଆଉ ଗୋଟିଏ ଦେଶ ବୁଲିଯିବୁ ?

 

କାହ୍ନୁ ମନେ ମନେ ଭାରି ଖୁସି ହୋଇ କହିଲା–ନ ଯିବି କାହିଁକି ? ତମେ ନେଇଗଲେ ମୁଁ ନିଶ୍ଚୟ ଯିବି । ଏ କେଉଁ ଦେଶ ଆଗ କହିଲ ?

 

ଜହ୍ନମାମୁଁ–ଏ ହେଉଛି “ସୂର୍ଯ୍ୟୋଦୟର ଦେଶ” ।

 

କାହ୍ନୁ–ସୂର୍ଯ୍ୟୋଦୟର ଦେଶ ! ସେଠାରେ କ’ଣ ସବୁବେଳେ ସୂର୍ଯ୍ୟ ଉଦୟ ହେଉଥାନ୍ତି-?

 

ଜହ୍ନମାମୁ–ନାଁ, ତା’ ନୁହେଁ । ଏ ଦେଶଟିକୁ ଚାରିପାଖରେ ସମୁଦ୍ର ବେଢ଼ି ରହିଛି । ତେଣୁ ସୂର୍ଯ୍ୟ ଉଇଁଲାକ୍ଷଣି ଏ ଦେଶର ଲୋକେ ସୂର୍ଯ୍ୟ ଦେଖିପାରନ୍ତି । ଏଥିପାଇଁ ଏ ଦେଶକୁ “ସୂର୍ଯ୍ୟୋଦୟର ଦେଶ” କହନ୍ତି । ଏ ଦେଶର ପ୍ରକୃତ ନାମ ଜାପାନ ।

Image

କାହ୍ନୁ–ଆଉ ଡେରିକର ନାହିଁ ମାମୁଁ ! ତମ ଠେକୁଆକୁ ଡାକ । ସେ ତମର ମନପବନ ଘୋଡ଼ା । ସେ ଆମକୁ ସାଙ୍ଗେ ସାଙ୍ଗେ ଜାପାନ ଦେଶରେ ପହଞ୍ଚାଇ ଦେବ ।

 

କାହ୍ନୁ ଓ ଜହ୍ନମାମୁଁଙ୍କୁ ଠେକୁଆ ପିଠିରେ ବସି ଉଡ଼ି ଉଡ଼ି ଜାପାନ ଦେଶକୁ ବାହାରିଲେ ।

 

ଠେକୁଆ ଆଖି ପିଛୁଳାକେ ଯାଇ ଜାପାନ ଦେଶରେ ଗୋଟାଏ ଘର ପାଖରେ ପହଞ୍ଚିଲା-। କାହ୍ନୁ ଓ ଜହ୍ନମାମୁଁ ଠେକୁଆ ପିଠିରୁ ଓହ୍ଲାଇ ପଡ଼ିଲେ । ଏ ଘରଟି ଗୋଟିଏ ଜାପାନୀ ପରିବାରର-। ଘରର ଦାଣ୍ଡଦୁଆର ଖୋଲା ଥିଲା ।

 

କାହ୍ନୁ ଓ ଜହ୍ନମାମୁଁଙ୍କୁ ଦେଖି ଘର ଭିତରୁ ଜଣେ ସ୍ତ୍ରୀଲୋକ ବାହାରି ଆସିଲେ । ସେ ଆଣ୍ଠୁମାଡ଼ି, ମୁଣ୍ଡ ନୁଆଇଁ ଏ ଦୁଇ ଅତିଥିଙ୍କୁ ନମସ୍କାର କଲେ । ଏହା ଦେଖି କାହ୍ନୁ ଓ ଜହ୍ନମାମୁଁ ମଧ୍ୟ ମୁଣ୍ଡ ନୁଆଇଁ ପ୍ରଣାମ ଜଣାଇଲେ ।

Image

ଜାପାନ ଦେଶରେ ଏ ପ୍ରକାର ନମସ୍କାର ପ୍ରଥା କେଉଁ କାଳରୁ ଚଳିଆସୁଛି । ସେ ଦେଶର ଲୋକମାନେ ପିତାମାତା, ଗୁରୁଜନ ବା ଅତିଥିଅଭ୍ୟାଗତଙ୍କୁ ଭକ୍ତି ଓ ବିନୟର ସହିତ ଏହିପରି ମୁଣ୍ଡ ନୁଆଇଁ ପ୍ରଣାମ କରନ୍ତି । ଏହା ଏ ଦେଶର ଶିଷ୍ଟାଚାର । ଜାପାନୀ ପିଲାମାନେ ଅତି ଅଳ୍ପ ବୟସରୁ ସେମାନଙ୍କ ଗୁରୁଜନଙ୍କୁ ଏପରି ମୁଣ୍ଡ ନୁଆଇଁ ପ୍ରଣାମ କରିବାକୁ ଶିଖନ୍ତି ।

 

ଜାପାନୀ ସ୍ତ୍ରୀଲୋକଟି କାହ୍ନୁ ଓ ଜହ୍ନମାମୁଁଙ୍କୁ ଘର ଭିତରକୁ ଡାକିଲେ । ଭିତରକୁ ଯିବା ପୂର୍ବରୁ ଜୋତା କାଢ଼ି ବାହାରେ ରଖିଯିବାକୁ କହିଲେ ।

 

ଜାପାନୀମାନେ ଜୋତା ପିନ୍ଧି ଘର ଭିତରକୁ ଯାଆନ୍ତି ନାହିଁ ।

 

ଘର ଚଟାଣରେ ସୁନ୍ଦର ରଙ୍ଗିନ୍ ମସିଣା ପଡ଼ିଥାଏ । କାନ୍ଥରେ ମଧ୍ୟ ସ୍ଥାନେ ସ୍ଥାନେ ସୁନ୍ଦର ମସିଣା ଝୁଲୁଥାଏ ।

 

ସ୍ତ୍ରୀଲୋକଟି କାହ୍ନୁ ଓ ଜହ୍ନମାମୁଁଙ୍କୁ ମସିଣାରେ ବସାଇଲେ । ତା’ପରେ ଦୁଇ ପିଆଲା ଚା ଆଣି ଦେଲେ ।

 

ଆଗନ୍ତୁକ ଲୋକଙ୍କୁ ଚା ଦେବା ଜାପାନ ଦେଶର ପ୍ରଥା ।

 

କାହ୍ନୁ ଓ ଜହ୍ନମାମୁଁ ଏପରି ନୂଆ ଧରଣର ଘର କେବେ ଦେଖି ନଥିଲେ ।

 

ଜହ୍ନମାମୁଁ ସ୍ତ୍ରୀଲୋକଟିକୁ କହିଲେ–ମା’ ! ତମର ଏ ଘରଟି ବଡ଼ ସାଦାସିଧା ଧରଣର ହୋଇଛି । ଏହା କାହିଁରେ ତିଆରି ?

 

ଜାପାନୀ ସ୍ତ୍ରୀଲୋକ–ଆମ ଦେଶର ଅଧିକାଂଶ ଘର ଏହି ଧରଣର । ଏ ଘରର ଛାତ ଟାଇଲ୍‌ରେ ତିଆରି ହୋଇଛି । କେତେକ ଘରର ଛାତ ନଡ଼ାବା କାଗଜ ଛାଉଣୀ ବି ହୋଇଥାଏ । ଛାତଟିକୁ ଧରି ରଖିବା ପାଇଁ ଘରର ଚାରିକୋଣରେ ଚାରୋଟି କାଠ ବା ବାଉଁଶର ଖୁଣ୍ଟ ପୋତି ଦିଆଯାଏ । ଛାତଟି ଖୁବ୍ ଗଡ଼ାଣିଆ ହୋଇଥାଏ । ଏପରି ଛାତରୁ ପାଣି ସହଜରେ ଗଡ଼ିପଡ଼େ ।

 

କାହ୍ନୁ କହିଲା–ଆମ ଦେଶରେ ଚାଳଘରର ଛାତ ଏହିପରି ଗଡ଼ାଣିଆ ।

 

ଜାପାନୀ ସ୍ତ୍ରୀଲୋକ–ଏ ଘରର କାନ୍ଥଗୁଡ଼ିକ ମୋଟା ତେଲିଆ କାଗଜରେ ତିଆରି । ଏହା ଭିତରେ ପାଣି ଭେଦିପରେ ନାହିଁ । ରାତିରେ କାଗଜ–କାନ୍ଥ ଚାରିପଟେ କାଠର ପର୍ଦ୍ଦାସବୁ ରଖି ଦିଆଯାଏ । ଆମେ ଆମ ଘରକୁ ଖୁବ୍ ଅଳ୍ପ ଖର୍ଚ୍ଚରେ ତିଆରି କରୁ । ଆମ ଦେଶରେ ଥରକୁ ଥର ଭୂମିକମ୍ପ ହୁଏ । ଏପରି ହାଲୁକା ଘର ଭୂମିକମ୍ପରେ ସହଜେ ଭାଙ୍ଗିପଡ଼େ ନାହିଁ । ଭାଙ୍ଗିଗଲେ ବି ତାକୁ ଟେକାଟେକି କରି ପୁଣି ତିଆରି କରିଦେବା ସହଜ ।

 

କାହ୍ନୁ ଓ ଜହ୍ନମାମୁଁ ଦେଖିଲେ ଯେ ଘର ଭିତରେ ଖଟ, ଟେବୁଲ୍ , ଚଉକି ପ୍ରଭୃତି କୌଣସି ସରଞ୍ଜାମ ନାହିଁ । ଘରଟିମାନ ଛୋଟ । ସେଥିରେ ଏତେ ଜିନିଷକୁ ଥାନ ହେବ କିପରି ? ସେଥିପାଇଁ ଚଟାଣ ଉପରେ ମସିଣା ବିଛାଇ ତା’ ଉପରେ ସମସ୍ତେ ବସାଉଠା କରନ୍ତି । ମସିଣାଗୁଡ଼ାକ ଛଣରେ ତିଆରି, ଭିନ୍ନ ଭିନ୍ନ ରଙ୍ଗରେ ଏଗୁଡ଼ିକ ଚିତ୍ର କରାହୋଇଥାଏ ।

 

ଏହିପରି କଥାଭାଷା ହେଉ ହେଉ ଘରର ପୁରୁଷଲୋକ କ୍ଷେତ କାମରୁ ଫେରିଲେ । ଅତିଥି ଦୁଇଜଣଙ୍କୁ ଦେଖି ଜାପାନୀ ପ୍ରଣାଳୀରେ ଅଭିବାଦନ କଲେ ।

 

କାହ୍ନୁ ପଚାରିଲା–ତମ ଘର ପିଲାମାନେ କାହାନ୍ତି ?

 

ପୁରୁଷଲୋକଟି ତାଙ୍କ ପୁଅଝିଅ ଦୁହିଁକୁ ଡାକିଦେଲେ । ସେ ଦୁହେଁ ଆସି ପ୍ରଥମେ ଜହ୍ନମାମୁଁ ଓ ପରେ କାହ୍ନୁକୁ ଜାପାନୀ ଢଙ୍ଗରେ ପ୍ରଣାମ କଲେ ।

 

ସ୍ତ୍ରୀଲୋକଟି ଆସି କହିଲା–ଖାଇବାର ବେଳ ହେଲାଣି, ଆସ ଖାଇବାକୁ ଯିବା ।

 

ସମସ୍ତେ ଯାଇ ଚଟାଣରେ ମସିଣା ଉପରେ ବସିଲେ । ତାଙ୍କ ଆଗରେ ଗୋଟିଏ ଅଳ୍ପ ଉଚ୍ଚ ମେଜ ଥାଏ । ମେଜ ଉପରେ ବେଲାରେ ଭାତ ଓ ଥାଳିଆରେ ମାଛ ତରକାରୀ ଥାଏ । ଦୁଇ ହାତରେ ଦୁଇଖଣ୍ଡ କାଠି ଧରି ସମସ୍ତେ ଟପାଟପ୍ ଖାଇବାକୁ ଆରମ୍ଭ କଲେ ।

 

କାହ୍ନୁ ଓ ଜହ୍ନମାମୁଁଙ୍କର ଏପରି ପ୍ରଣାଳୀରେ ଖାଇବାର ଅଭ୍ୟାସ ନାହିଁ । କାହ୍ନୁ ଦେଖି ଦେଖି ଶିଖିଗଲା । କିନ୍ତୁ ଜହ୍ନମାମୁଁ ବଡ଼ ଅଡ଼ୁଆରେ ପଡ଼ିଲେ । ସେ ତ ଗୁଡ଼ାଏ ଖାଇବେ । କାଠି ଦୁଇଖଣ୍ଡରେ ଥରେ କେତେ ଭାତ ଉଠିବ ?

 

ଜହ୍ନମାମୁଁ ଦେଖିଲେ ଯେ ପେଟରେ ଭୋକ ରଖି ଲାଜ କଲେ ଚଳିବ ନାହିଁ । ସେ ହାତ ଲଗାଇ ଗୁଣ୍ଡାକୁ ଗୁଣ୍ଡା ଭାତ ଗିଳି ପକାଇଲେ । ସେ ଏକାକୀ ଚାରିବେଲା ଭାତ ଓ ଥାଳିଏ ମାଛ ତରକାରୀ ଖାଇଲେ । ଆଉ ସମସ୍ତେ ମିଶି ଏତେ ଖାଇପାରିଲେ ନାହିଁ ।

 

ଖାଇସାରିଲା ପରେ ସମସ୍ତେ ଚା ପିଇଲେ । ଚା’ରେ ଦୁଧ କି ଚିନି ପଡ଼ି ନ ଥିଲା । କାହ୍ନୁକୁ ଏପରି ତୁଚ୍ଛା ପାଣି ଭଲ ଲାଗିଲା ନାହିଁ । କିନ୍ତୁ ଜହ୍ନମାମୁଁ ଥରକୁ ଥର ମାଗି ଚାରି ପିଆଲା ଚା ପିଇଲେ ।

 

କାହ୍ନୁ କହିଲା–ଏ ଚା’ ରେ ଦୁଧ କି ଚିନି ମିଶି ନାହିଁ, ଖାଲି ଲାଲ ପାଣି । ଏପରି ଚା କ’ଣ ଭଲ ଲାଗେ ?

 

ସ୍ତ୍ରୀଲୋକଟି କହିଲେ–ଏପରି ଚା ପିଇବା ଆମର ଅଭ୍ୟାସ ।

 

ଜହ୍ନମାମୁଁ କହିଲେ–ତମର ଏ ମାଛ ତରକାରୀ ବଡ଼ ସୁଆଦ ଲାଗିଲା । ମାଛ ପାଇଲ କୁଆଡ଼ୁ ?

 

ପୁରୁଷ ଲୋକ କହିଲେ–ଆମ ଦେଶରେ ମାଛର ଅଭାବ ନାହିଁ । ଚାରିଆଡ଼େ ସମୁଦ୍ର । ଦେଶ ଭିତରେ ଅନେକ ନଈନାଳ ଅଛି । ଆମେ ଲୁଣି ମାଛ ପାଉ, ମଧୁର ମାଛ ବି ପାଉ ।

 

ଜହ୍ନମାମୁଁ–ମାଛ ଧର କିପରି ?

 

ପୁରୁଷଲୋକ–ମାଛ ଧରିବାର ଅନେକ କୌଶଳ ଆମେ ଜାଣୁ ।

 

କାହ୍ନୁ ପଚାରିଲା–ଜାଲରେ ?

 

ପୁରୁଷଲୋକ–ହଁ ଜାଲରେ ତ ଧରୁ, ତା’ଛଡ଼ା ଆମେ ଗୋଟାଏ ଜାତିର ପକ୍ଷୀ ପାଳୁ । ପକ୍ଷୀଗୁଡ଼ିକ ଆମକୁ ମାଛ ଧରି ଦିଅନ୍ତି ।

 

କାହ୍ନୁ–ସତେ ?

Image

ପୁରୁଷଲୋକ–ଏଗୁଡ଼ିକ ଗୋଟାଏ ଜାତିର ସମୁଦ୍ରକୁଆ–ଭାରି ପେଟୁ । ପକ୍ଷୀଗୁଡ଼ିକୁ ନେଇ ଅନ୍ଧାର ପକ୍ଷ ରାତିରେ ଆମ ଡଙ୍ଗାରେ ଚଢ଼ି ନଈ ଭିତରକୁ ଯାଉ । ଡଙ୍ଗା ପଛପଟେ ଲମ୍ବା ବାଉଁଶରେ ଝୁଲାଇ ଗୋଟାଏ ଟୋକେଇ ବାନ୍ଧି ଦେଉ । ଟୋକେଇଟି ଲୁହା ପାତିଆ କିମ୍ବା ତାରରେ ତିଆରି ହୋଇଥାଏ ।

 

ଟୋକେଇରେ ନିଆଁ ଜାଳି ଦେଉ । ନିଆଁ ଦେଖି ମାଛସବୁ ଡଙ୍ଗା ପାଖକୁ ଆସନ୍ତି । ସେତେବେଳେ ଆମେ ଏହି ପକ୍ଷୀଗୁଡ଼ିକ ଛାଡ଼ିଦଉ । ସେମାନେ ଥଣ୍ଟରେ ଗୋଟାକୁ ଗୋଟା ମାଛ ଧରି ଆଣନ୍ତି । ତାଙ୍କ ଗଳାରେ ମୁଦି ପିନ୍ଧାଇ ଦିଆଯାଏ । ତେଣୁ ସେମାନେ ମାଛ ଗିଳି ପାରନ୍ତି ନାହିଁ-। ପକ୍ଷୀଙ୍କ ଗୋଡ଼ରେ ସୂତା ବନ୍ଧା ହୋଇଥାଏ । ସେମାନେ ପଳାଇଯାଇପାରନ୍ତି ନାହିଁ ।

 

ତା’ ପରେ କାହ୍ନୁ ଓ ଜହ୍ନମାମୁଁ ଟିକିଏ ବିଶ୍ରାମ ନେଲେ । ଭାରି ଗୁଳୁଗୁଳି ହେଉଥାଏ । ଜହ୍ନମାମୁଁ ଗୋଟିଏ ପଙ୍ଖା ମାଗିଲେ । ଜାପାନୀ ବାଳିକାଟି ଦୌଡ଼ିଯାଇ ଗୋଟିଏ ପଙ୍ଖା ଆଣି ଦେଲା ।

Image

ପଙ୍ଖାଟିକୁ ହାତକୁ ନେଇ ଜହ୍ନମାମୁଁ ଦେଖିଲେ ଯେ ଏହା ଖୁବ୍‍ ହାଲୁକା । ଏଥିରେ ବେଶ୍ ପବନ ହେଉଛି ।

 

କାହ୍ନୁ ବିଞ୍ଚିହେବାପାଇଁ ଜହ୍ନମାମୁଁଙ୍କୁ ପଙ୍ଖାଟି ମାଗିଲା । ଏହା ଦେଖି ବାଳିକାଟି କାହ୍ନୁକୁ ଆଉ ଗୋଟିଏ ପଙ୍ଖା ଆଣିଦେଲା ।

 

କାହ୍ନୁ ପଙ୍ଖାଟି ହାତରେ ଧରି ଏପାଖ ସେପାଖ କରି ଦେଖିଲା । କହିଲା–ବାଃ, ଏଥିରେ ପୁଣି ଚିତ୍ର କରାହୋଇଛି !

 

କାହ୍ନୁ ବାଳିକାକୁ ପଚାରିଲା–ଏ ପଙ୍ଖା କାହିଁରେ ତିଆରି ହୋଇଛି ?

 

ବାଳିକା–ବାଉଁଶ ଓ କାଗଜରେ । ଆଉ ଏ ଚିତ୍ର ଯେ ଦେଖୁଛ, ଏହା ହେଉଛି ଆମ ଦେଶର ଗୋଟିଏ ପର୍ବତର, କେତେଗୁଡ଼ିଏ ଫୁଲର ଓ ଫାର୍ ଗଛର ଚିତ୍ର ।

 

କାହ୍ନୁ–ଫାର୍ ଗଛ ?ଏ ଗଛର ନାମ ମୁଁ କେବେ ଶୁଣି ନାହିଁ ।

 

ବାଳିକା–ଆମ ଦେଶର ପାହାଡ଼ିଆ ଅଞ୍ଚଳରେ ଏ ଗଛ ଜନ୍ମେ । ସେଠିକାର ଜଳବାୟୁ ଥଣ୍ଡା । ଥାନା ଜଳବାୟୁରେ ଫାର୍ ଗଛ ଭଲ ଉଧାଏ ।

 

ଏହିପରି କଥାଭାଷା ହେଉ ହେଉ କାହ୍ନୁ ଓ ଜହ୍ନମାମୁଁଙ୍କୁ ଛାଇନିଦ ଲାଗିଗଲା । ଉଠିଲାବେଳକୁ ବେଳ ରତରତ ହେଲାଣି । ଜାପାନୀ ସ୍ତ୍ରୀଲୋକଟି ଦୁଇ ପିଆଲା ଚା ଆଣିଦେଲା । ଚା ପିଇସାରି କାହ୍ନୁ ଓ ଜହ୍ନମାମୁଁ କହିଲେ–ତମ ଦେଶ ଦେଖିବାକୁ ଆସୁଛି; ଆମ ସାଙ୍ଗରେ କେହି ଆସୁ, ବୁଲି ଆସିବା ।

 

ଜାପାନୀ ବାଳକଟି ଆଗଭର ହୋଇ କାହ୍ନୁ ଓ ଜହ୍ନମାମୁଁଙ୍କ ସଙ୍ଗରେ ବାହାରିଲା ।

 

ସେମାନେ ପ୍ରଥମେ ଯାଇ ପହଁଚିଲେ ଗୋଟାଏ ସଡ଼କରେ । ସଡ଼କରେ ବହୁତ ଲୋକ ଓ ଯାନବାହାନ ଚଳପ୍ରଚଳ ହେଉଥାନ୍ତି । ଲୋକମାନଙ୍କ ବେଶଭୂଷା ରଙ୍ଗଢଙ୍ଗିଆ ଧରଣରେ । ପୁରୁଷଲୋକମାନେ ଢିଲା ପାଇଜାମା ଓ ଲମ୍ବ କୁରୁତା ପିନ୍ଧିଥାନ୍ତି । ଅଣ୍ଟାରେ ଗୋଟିଏ ପଟି ଭିଡ଼ା ହୋଇଥାଏ । କୁରୁତାଗୁଡ଼ିକ ନାଲି, ହଳଦିଆ, ନେଳି, ବାଇଗଣି–ଇମିତି କେତେ ରଙ୍ଗର ହୋଇଥାଏ ।

 

ସ୍ତ୍ରୀମାନଙ୍କ ବେଶଭୂଷା ଆହୁରି ସୁନ୍ଦର । ସେମାନେ ନାନା ରଙ୍ଗରେ ଚିତ୍ରିତ ରେଶମ ତିଆରି ପୋଷାକ ପିନ୍ଧିଥାନ୍ତି । ଏହା ଗଳାଠାରୁ ପାଦଯାଏଁ ଲମ୍ବିଥାଏ । ବାଳକମାନେ ଢିଲା ପାଇଜାମା ଓ କୁର୍ତ୍ତା ପିନ୍ଧି ଅଣ୍ଟା ଉପରେ ଖଣ୍ଡେ ନାଲି ଫିତା ଗୁଡ଼ାଇଥାନ୍ତି । ବାଳିକାମାନେ ଭିନ୍ନ ଭିନ୍ନ ପ୍ରକାରର ରେଶମୀ ପୋଷାକ ପିନ୍ଧିଥାନ୍ତି ।

 

ଏମାନଙ୍କ ପୋଷାକରେ ରଙ୍ଗିନ୍ ସୂତାର ନାନା ପ୍ରକାର ଫୁଲ ବୁଣା ହୋଇଥାଏ । ସେମାନେ ଅଣ୍ଟାରେ ଗୋଟିଏ ଗୋଟିଏ କାଗଜର ଛତା ଧରିବା ସ୍ତ୍ରୀଲୋକମାନଙ୍କର ଅଭ୍ୟାସ । ସ୍ତ୍ରୀଲୋକ ଓ ପୁରୁଷଲୋକମାନେ ପାଦରେ କଠଉ ପିନ୍ଧିଥାନ୍ତି ।

Image

କାହ୍ନୁ ଦେଖିଲା, କେତେକ ବାଳିକା ସେମାନଙ୍କ ପିଠିରେ ଗୋଟିଏ ଗୋଟିଏ ସାନପିଲାଙ୍କୁ ଲାଉକରି ନେଇଯାଉଛନ୍ତି । ଏ ଦୃଶ୍ୟ କାହ୍ନୁ ଓ ଜହ୍ନମାମୁଁଙ୍କୁ ବଡ଼ କୌତୁକଜନକ ବୋଧ ହେଲା ।

 

କାହ୍ନୁ ବାଳକକୁ କହିଲା–ଏ ତ ବଡ଼ ବିଚିତ୍ର ଦୃଶ୍ୟ । ସାନ ପିଲାଗୁଡ଼ିକ ବାଳିକାଙ୍କ ପିଠିରୁ ଖସି ପଡ଼ନ୍ତି ନାହିଁ ?

 

ବାଳକ–ନାଁ, ଶିଶୁମାନେ ବାଳିକାଙ୍କ ପିଠିରେ ବନ୍ଧା ହୋଇଥାନ୍ତି । ସାନ ବାଳିକାମାନେ ଚାଲିବାକୁ ଶିଖିଲେ ତାଙ୍କ ପିଠିରେ ଗୋଟିଏ ଗୋଟିଏ କଣ୍ଢେଇ ବାନ୍ଧି ଦିଆଯାଏ । ପିଲାଦିନୁ ସେମାନେ ପିଠିରେ ଶିଶୁମାନଙ୍କୁ ବୋହି ନେବାକୁ ଶିଖନ୍ତି । ପିଲାମାନଙ୍କୁ ପିଠିରେ ନେଇ ସେମାନେ ସହଜରେ ଖେଳନ୍ତି ଓ ଚଲାବୁଲା କରନ୍ତି ।

 

ସଡ଼କରେ ଆଉ ଟିକିଏ ଦୂର ଯାଇ ଜହ୍ନମାମୁଁ ଦେଖିଲେ ଗୋଟିଏ ଦୁଇଚକିଆ ଗାଡ଼ିରେ ଜଣେ ସ୍ତ୍ରୀଲୋକ ବସିଛି । ଗାଡ଼ିଟିକୁ ଜଣେ ଲୋକ ହାତରେ ଧରି ଟାଣି ନେଉଛି । ଜହ୍ନମାମୁଁ ପଚାରିଲେ–ଏ କି ରକମ ଗାଡ଼ି ?

 

ବାଳକଟି କହିଲା–ଏ ଗାଡ଼ିକୁ ଆମେ ରିକ୍‌ସା କହୁ । ଏଥିରେ ବସି ଅଳ୍ପ ଦୂରକୁ ଯିବା ଆସିବାର ସୁବିଧା ହୁଏ ।

 

କାହ୍ନୁ ଓ ଜହ୍ନମାମୁଁ ରାସ୍ତାରେ ଆଉ କିଛି ଦୂର ଗଲେ । ଦୂରରୁ ଦେଖିଲେ ଗୋଟିଏ ଉଚ୍ଚ ପର୍ବତ । ତା ଉପରଟା ଧଳା ଦିଶୁଛି । ପର୍ବତଟିର ଦୃଶ୍ୟ ବଡ଼ ସୁନ୍ଦର ଦେଖାଯାଉଥାଏ ।

 

ଜହ୍ନମାମୁଁ ପଚାରିଲେ–ଏ ପର୍ବତ ଉପରକୁ ଲୋକେ ଯାଇପାରନ୍ତି ?

Image

ବାଳକ–ଗ୍ରୀଷ୍ମକାଳରେ ହଜାର ହଜାର ଯାତ୍ରୀ ଏହି ପର୍ବତ ଉପରକୁ ଚଢ଼ନ୍ତି । ସେତେବେଳେ ଏହା ଉପରେ ବରଫ ଜମି ରହି ନଥାଏ । ଏ ପର୍ବତର ନାମ ଫୁଜିୟାମା । ଏହାକୁ ଆମେ ଗୋଟିଏ ପବିତ୍ର ପୀଠ ମନେକରୁଁ । ଶୀତକାଳରେ ଏହାର ଉପର ଅଂଶରେ ବରଫ ପଡ଼ି ଧଳା ଦେଖାଯାଏ । ଏ ପର୍ବତ ସାଧାରଣ ପର୍ବତ ନୁହେଁ । ଏହା ଗୋଟିଏ ଆଗ୍ନେୟ ପର୍ବତ, ଏହି ପର୍ବତରୁ ଜଳନ୍ତା ତରଳ ପଦାର୍ଥ ଗୋଟିଏ ମୁହଁ ବାଟେ ବାହାରି ଆସେ । ସେତେବେଳେ ପର୍ବତର ଚାରିଦିଗ ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୁଏ । ଏ ପର୍ବତରୁ ବହୁବର୍ଷ ହେଲା ଅଗ୍ନ୍ୟୁତ୍ପାତ ହେଉନାହିଁ ।

 

ରାସ୍ତାରେ ଯାଇ ଯାଇ କାହ୍ନୁ ଓ ଜହ୍ନମାମୁଁ ଗାଁ ମୁଣ୍ଡରେ ପହଞ୍ଚିଲେ । ସେଠାରେ ଜାପାନୀ କୃଷକମାନେ ଧାନଖେତରେ ଧାନ ତଳି ରୋଉଥାନ୍ତି ।

Image

ଜହ୍ନମାମୁଁ ବାଳକକୁ ପଚାରି ବୁଝିଲେ ଯେ, ତାଙ୍କ ଦେଶର ଚାଷୀମାନେ ଭାରି ପରିଶ୍ରମ କରନ୍ତି । ସେମାନେ କ୍ଷେତରେ ହଳ କରନ୍ତି ନାହିଁ, କୋଡ଼ିରେ ମାଟିକୁ ଖୁବ୍ ଗହୀର କରି ହାଣନ୍ତି । ଏପରି କଲେ କ୍ଷେତରେ ଭଲ ଫସଲ ହୁଏ ।

 

ଏ ଦେଶରେ ପଡ଼ିଆ ଜମି ଖୁବ୍ କମ୍ । ଗାଈଗୋରୁ, ମେଣ୍ଢା, ଛେଳି ପ୍ରଭୃତି ଚରିବା ପାଇଁ ଘାସ ପାଆନ୍ତି ନାହିଁ । ସେଥିପାଇଁ ଜାପାନୀମାନେ ବେଶୀ ଗୃହପାଳିତ ପଶୁ ରଖନ୍ତି ନାହିଁ । ଏ ଦେଶରେ ଦୁଧ, ଦହି, ଲହୁଣୀ ଖୁବ୍‍ କମ୍ ମିଳେ । ଜୋତା ତିଆରି କରିବା ପାଇଁ ଚମଡ଼ା ମିଳେ ନାହିଁ-। ସେଥିପାଇଁ ଅଧିକାଂଶ ଜାପାନୀ ପାଦରେ କାଠ ତିଆରି କଠଉ ପିନ୍ଧନ୍ତି ।

 

କାହ୍ନୁ ଓ ଜହ୍ନମାମୁଁ ଆଉ କିଛି ଦୂର ଯାଇ ଧାଡ଼ିକି ଧାଡ଼ି ବାଉଁଶ ବୁଦାସବୁ ଦେଖିଲେ ।

 

କାହ୍ନୁ ପଚାରିଲା–ତୁମ ଦେଶରେ ଏତେ ବାଉଁଶ ବଣ ଅଛି ?

 

ଜାପାନୀ ବାଳକ–ହଁ, ବାଉଁଶ ଆମ ଦେଶରେ ଗୋଟାଏ ବଡ଼ ଦରକାରୀ ଜିନିଷ । ବାଉଁଶ ନ ହେଲେ ଆମର ଘର ତିଆରି ହୋଇପାରିବ ନାହିଁ । ବାଉଁଶରୁ ଅନେକ ପ୍ରକାର କାଗଜ ତିଆରି ହୁଏ । କାଗଜରୁ ଜୋତା, ଟୋପି, ଛତା ଓ ରୁମାଲ ତିଆରି ହୁଏ । ଏଥିରୁ ପଙ୍ଖା, ପର୍ଦ୍ଦା ଓ ଡଙ୍ଗାର ପାଲ ମଧ୍ୟ ପ୍ରସ୍ତୁତ ହୁଏ ।

Image

ଆମେ କାଗଜରୁ ଲଣ୍ଠନ ମଧ୍ୟ ତିଆରି କରୁ ଉତ୍ସବ ଦିନମାନଙ୍କର ଏହି ଲଣ୍ଠନଦ୍ଵାରା ଘରଦ୍ଵାର ସଜାଉ ।

 

ବୁଲି ବୁଲି କାହ୍ନୁ ଓ ଜହ୍ନମାମୁଁ ଥକି ପଡ଼ିଲେଣି । ଜହ୍ନମାମୁଁ ମୋଟା ଲୋକ । ଗୁଡ଼ାଏ ବାଟ ଚାଲି ଚାଲି ସେ ବେଦମ୍ ହୋଇଗଲେଣି । ତାଙ୍କ ଦେହରୁ ଗମ୍ ଗମ୍ ହୋଇ ଝାଳ ବୋହିପଡ଼ୁଥାଏ । ଆଉ ଆଗକୁ ଯିବାପାଇଁ ତାଙ୍କ ପାଦ ଉଠୁ ନ ଥାଏ ।

 

ଏହା ଦେଖି ଜାପାନୀ ବାଳକଟି କହିଲା–ମାମୁଁ ! ତମକୁ ବଡ଼ ବାଧିଲାଣି । ଆସ, ଏହିଠାରୁ ଫେରିଯିବା ।

 

କାହ୍ନୁ ଫେରି ଆସିବାକୁ ଭାରି ନାରାଜ । ତା’ର ଇଚ୍ଛା ଆଉ କିଛି ଦୂରକୁ ଯାଆନ୍ତା । ନୂଆ ଦେଶରେ ଆଉ କେତେ ନୂଆ ନୂଆ କଥା ଦେଖନ୍ତା ।

Image

କିନ୍ତୁ ଜହ୍ନମାମୁଁ ସେହିଠାରେ ଧଡ଼୍‌କରି ବସିପଡ଼ିଲେ । କିଛିକ୍ଷଣ ବିଶ୍ରାମ ନେଇ ସମସ୍ତେ ଘରକୁ ଫେରିଲେ । ଘରେ ପହଞ୍ଚିବା ବେଳକୁ ରାତି ଦୁଇଘଡ଼ିହୋଇଥାଏ । ଜାପାନୀ ପରିବାର ସମସ୍ତେ ସେମାନଙ୍କ ଆସିବାକୁ ଅନାଇ ବସିଥାନ୍ତି ।

 

ଜାପାନୀ ସ୍ତ୍ରୀଲୋକଟି ଖିଆପିଆର ଆୟୋଜନ କରି କାହ୍ନୁ ଓ ଜହ୍ନମାମୁଁଙ୍କୁ ଡାକିଲେ । କାହ୍ନୁ ଓ ଜହ୍ନମାମୁଁ ଅତି ଆଗ୍ରହର ସହିତ ଭାତ ଓ ମାଛ ତରକାରୀ ଖାଇଲେ । ଖାଇସାରି ସମସ୍ତେ ଚା ପିଇଲେ । ତା’ ପରେ ଗପସପ ଆରମ୍ଭ ହେଲା ।

 

କାହ୍ନୁ ଜାପାନୀ ବାଳକ ବଳିକାଙ୍କୁ ପଚାରିଲା–ତମେମାନେ କି ଖେଳ ଖେଳ ?

 

ବାଳକ–ଆମ ଦେଶଟି ପିଲାଙ୍କ ସରଗ ରାଇଜ । ପିଲାମାନେ ନାନାପ୍ରକାର ଖେଳର ମାତି ହସଖୁସିରେ କାଳ କାଟନ୍ତି ।

 

ବାଳିକାଟି କହିଲା–ପ୍ରତିବର୍ଷ ବସନ୍ତ ଋତୁ ଆରମ୍ଭରେ ବାଳିକାମାନଙ୍କର ଗୋଟିଏ ବଡ଼ ଉତ୍ସବ ହୁଏ । ଏହାକୁ ଆମେ “କଣ୍ଢେଇ ଉତ୍ସବ” କହୁ । ଆମ ଦେଶର ବାଳିକାମାନେ କଣ୍ଢେଇ ଖେଳକୁ ଭାରି ଭଲ ପାଆନ୍ତି । କଣ୍ଢେଇମାନଙ୍କ ପର୍ବଦିନ ଉପସ୍ଥିତ ହେଲେ ଆମର ଆନନ୍ଦର ସୀମା ରହେ ନାହିଁ । ଗୋଟିଏ ଗୋଟିଏ କାଠର କଣ୍ଢେଇ ଧରି ଆମେ ଦଳ ଦଳ ହୋଇ ଖେଳୁ । ଉତ୍ସବ ଶେଷରେ କଣ୍ଢେଇଗୁଡ଼ିକ ଘରେ ସାଇତି ରଖୁ । ବର୍ଷକ ପରେ ଉତ୍ସବ ଦିନ ଆସିଲେ ସେହି କଣ୍ଢେଇଗୁଡ଼ିକ ବାହାର କରୁ ।

 

କାହ୍ନୁ–ଆମ ଦେଶର ସାନଝିଅମାନେ ମଧ୍ୟ କଣ୍ଢେଇ ଖେଳକୁ ଭାରି ଭଲ ପାଆନ୍ତି । ସେମାନେ “କଣ୍ଢେଇ ବାହାଘର” କରନ୍ତି । କିନ୍ତୁ କଣ୍ଢେଇଗୁଡ଼ିକ ତମମାନଙ୍କ ପରି ସାଇତି ରଖନ୍ତି ନାହିଁ । ଖେଳିସାରି ସେଗୁଡ଼ିକ ଏଣେତେଣେ ପକାଇ ଦିଅନ୍ତି ।

 

ବାଳିକା–ଆମେ କଣ୍ଢେଇଗୁଡ଼ିକ ଅତି ଯତ୍ନରେ ସଜାଇ ଘରେ ସମ୍ପାଦି ରଖୁ । ମା’ ବା ଆଈର ପିଲାଦିନର କଣ୍ଢେଇ ବି ତା’ ଭିତରେ ରହିଥାଏ । ଆମେ ଉତ୍ସବ ଦିନ କଣ୍ଢେଇଗୁଡ଼ିକ ଭଲ ଲୁଗାପଟା ପିନ୍ଧାଇ ଖଟୁଲିରେ ବସାଇ ଦେଉ ।

 

ତାଙ୍କ ଆଗରେ ଭାତ, ତରକାରୀ, ପିଠା, ଓ ନାନାପ୍ରକାର ଫଳ ଭୋଗ ଲଗାଉ । ଗୋଟିଏ କଣ୍ଢେଇ ରାଜା ହେଲେ ଆଉ ଗୋଟିଏ ରାଣୀ ହୁଏ । ବାକୀ କଣ୍ଢେଇଗୁଡ଼ିକ ତାଙ୍କ ପୁଅ ଝିଅ ହୁଅନ୍ତି । ସେଦିନ ଆମେ ଗୀତ ଗାଉ, ନାଚୁ, ଖେଳୁ, ଭୋଜି ଖାଉ । ଆମ ଦେଶର ଝିଅମାନେ ବାହାହୋଇ ଶାଶୁଘରକୁ ଗଲେ ଏହି କଣ୍ଢେଇଗୁଡ଼ିକ ମଧ୍ୟରୁ କେତୋଟି ସାଙ୍ଗରେ ଘେନି ଯାଆନ୍ତି ।

 

କାହ୍ନୁ ବାଳକଟିକୁ ପଚାରିଲା–ବାଳକଙ୍କ ପାଇଁ କୌଣସି ବିଶେଷ ଖେଳ ନାହିଁ ?

Image

ବାଳକ–ଆମ ଖେଳ ଆହୁରି ମଜାର ଖେଳ । ବାଳିକାମାନଙ୍କ ପରି ଆମର ମଧ୍ୟ ଉତ୍ସବ ଦିନ ଅଛି । ଏହାକୁ ଆମେ “ପତାକା ଉତ୍ସବ” କହୁ । ବର୍ଷର ପଞ୍ଚମ ମାସ ପଞ୍ଚମ ଦିନରେ ଏହି ଉତ୍ସବ ଦେଶସାରା ପାଳିତ ହୁଏ । ପ୍ରତ୍ୟେକଘର ସମ୍ମୁଖରେ ବାଉଁଶର ଗୋଟିଏ ଗୋଟିଏ ଉଚ୍ଚ ଖୁଣ୍ଟି ପୋତାଯାଏ । ଖୁଣ୍ଟି ଆଗରେ ରଙ୍ଗିନ କାଗଜରେ ତିଆରି ବଡ଼ବଡ଼ ମାଛର ଛବି ଝୁଲାଇ ଦିଆଯାଏ । ମାଛର ଦେହଟି ପୋଲା ହୋଇଥାଏ । ତେଣୁ ଏହା ଭିତରେ ପବନ ପଶିଲେ ଏହାର ଡେଣା ଓ ଲାଞ୍ଜ ଦୋହଲେ । ଦେଖାଯାଏ ଯେପରିକି ମାଛଟି ପହଁରୁଛି ।

 

କାହ୍ନୁ–ତମ ଉତ୍ସବ କ’ଣଏତିକି ରେ ଶେଷ ହୁଏ ?

 

ବାଳକ–ନାଁ, କହୁଛୁ ଶୁଣ । ବାଳକମାନେ ଦୁଇ ଦଳରେ ବିଭକ୍ତ ହୁଅନ୍ତି । ପ୍ରତ୍ୟେକ ବାଳକର ହାତରେ ଗୋଟିଏ ଗୋଟିଏ ଛୋଟ ଯୁଦ୍ଧ ପତାକା ଥାଏ । ସେମାନେ ଖେଳ–ସାଞ୍ଜୁ ପିନ୍ଧନ୍ତି ଓ ହାତରେ ବାଉଁଶ ତିଆରି ଖଣ୍ଡା ଧରି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି । ଦୁଇଦଳ ବାଳକଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ । ତୂରୀ, ଭେରୀ ପ୍ରଭୃତି ବାଦ୍ୟର ଶବ୍ଦ ଚାରିଆଡ଼େ ଉଛୁଳି ପଡ଼େ । ଯେଉଁ ଦଳ ଅନ୍ୟ ଦଳର ପତାକା ହସ୍ତଗତ କରିପାରେ ସେହି ଦଳର ଜିତାପଟ ହୁଏ ।

 

କାହ୍ନୁ–ଏ ତ ଗୋଟାଏ ପ୍ରକାର ଯୁଦ୍ଧର ଖେଳ !

 

ବାଳକ–ଆମ ଜାତିଟା ଯୁଦ୍ଧପ୍ରିୟ ଜାତି । ଏହି ଖେଳରୁ ତାର ପରିଚୟ ମିଳେ । ଏହି ଉତ୍ସବ ଦ୍ଵାରା ଆମ୍ଭମାନଙ୍କର ସାହସ ବଢ଼େ ।

 

କାହ୍ନୁ–ତମ ଦେଶର ଖେଳଗୁଡ଼ିକ ଭାରି ଭଲ । ଆଉ ଗୋଟାଏ ଦୁଇଟା ଖେଳ କଥା କହନ୍ତ କି ?

 

ବାଳକ–ହେଉ ଶୁଣ । ଗୁଡ଼ି ଉଡ଼ାଇବା ଆମ ଦେଶର ଆଉ ଗୋଟିଏ ପ୍ରଧାନ ଖେଳ । ଏହି ଖେଳରେ ବାଳକ, ବାଳିକା, ଯୁବକ ଓ ବୁଢ଼ାଲୋକମାନେ ସୁଦ୍ଧା ଯୋଗ ଦିଅନ୍ତି । ଗୁଡ଼ି ସବୁ ନାନା ଆକାରର ଓ ନାନା ବର୍ଣ୍ଣରେ ହୋଇଥାଏ । ଗୁଡ଼ି ଖେଳର ପ୍ରତିଯୋଗିତାରେ ଖେଳାଳୀମାନେ ଦଳ ଦଳ ହୋଇ ଯୋଗ ଦିଅନ୍ତି । ସେମାନେ ଗୁଡ଼ି ଉଡ଼େଇବା ସୂତାରେ କାଚ ଗୁଣ୍ଡ ଓ ଅଠା ମିଶାଇ ଘଷି ଦିଅନ୍ତି । ଏପରି କଲେ ସୂତା ଧାରୁଆ ହୁଏ ଏବଂ ବିପକ୍ଷ ସୂତାକୁ ସହଜରେ କାଟିଦିଏ-। ଯେ ଅନ୍ୟର ଗୁଡ଼ିକୁ ଏହିପରି କାଟିପାରେ, ସେ ଜିତେ ।

 

କାହ୍ନୁ–ଆମ ଦେଶର ଗୁଡ଼ିଉଡ଼ା ଖେଳ ଠିକ୍ ଏହିପରି ।

 

ଜାପାନୀ ବାଳକଟି ଘର ଭିତରକୁ ଦଉଡ଼ିଯାଇ କେତେଗୁଡ଼ିଏ ନଟୁ ଘେନିଆସିଲା କହିଲା–ଦେଖ କାହ୍ନୁ ! ଆମେ କିପରି ନଟୁ ଖେଳ ଖେଳୁ । ଏହା କହି ବାଳକଟି ତା’ର ହାତ ପାପୁଲିରେ ଓ ଚଟାଣରେ ନଟୁ ଘୂରାଇଲା ।

 

କାହ୍ନୁ ନଟୁ ଘୂରାଇବାର କୌଶଳ ଦେଖି ଦେଖି ଶିଖିଗଲା । ସେ ମଧ୍ୟ ନଟୁ ଘୂରାଇଲା ।

 

ଜହ୍ନମାମୁଁ ନଟୁ ଘୂରାଇବାକୁ ବହୁ ଥର ଚେଷ୍ଟା କଲେ, କିନ୍ତୁ ସେ ନଟୁ ଘୂରାଇ ପାରିଲେ ନାହିଁ ।

 

ପିଲାମାନଙ୍କ ଖେଳିବା ସକାଶେ ଜାପାନ ଦେଶର ନାନାପ୍ରକାର ଖେଳନା ତିଆରି ହୁଏ-। ସେଗୁଡ଼ିକ ଖୁବ୍ ଶସ୍ତାରେ ବିକ୍ରି ହୁଏ । ଜାପାନୀ ଖେଳନା ଶସ୍ତା ଓ ସୁନ୍ଦର ହୋଇଥିବାରୁ ବିଦେଶରେ ସେଗୁଡ଼ିକର କାଟତି ବେଶି ।

 

କଥା କହୁ କହୁ ବହୁତ ରାତି ହେଇଗଲା । ଗୋଟିଏ କୋଠରିର ଚଟାଣରେ ମସିଣା ବିଛା ହୋଇଥାଏ । ସେଥିରେ କାହ୍ନୁ ଓ ଜହ୍ନମାମୁଁ ଶୋଇଲେ । ଆଉ ଗୋଟିଏ କୋଠରିରେ ଜାପାନୀ ପରିବାରର ପୁରୁଷ, ସ୍ତ୍ରୀ ଓ ପୁଅଝିଅ ଶୋଇଲେ ।

 

ପରଦିନ ସକାଳୁ ଉଠି କାହ୍ନୁ ଓ ଜହ୍ନମାମୁଁ ପ୍ରଥମେ ସେ ଦେଶର ସୂର୍ଯ୍ୟ ଉଦୟ ହେବାର ଦେଖିଲେ । ଚାରିଆଡ଼େ ସମୁଦ୍ର ଭିତରୁ ସତେକି ସୂର୍ଯ୍ୟ ଆକାଶକୁ ଡେଇଁ ପଡ଼ିଲେ ! ସେତେବେଳେ ସୂର୍ଯ୍ୟଗୋଟିଏ ବଡ଼ ନିଆଁ ପେଣ୍ଡୁଳା ପରି ଦେଖାଯାଉଥାଏ । ଆଉ ଟିକିଏ ଉପରକୁ ଉଠିବାରୁ ସୂର୍ଯ୍ୟକୁ ଆଉ ଅନାଇ ହେଲା ନାହିଁ । ସୂର୍ଯ୍ୟର ତେଜରେ ଆଖି ଝଲସି ପଡ଼ିଲା ।

 

କାହ୍ନୁ ଓ ଜହ୍ନମାମୁଁ ଦେଖିଲେ ଘରକୁ ଲାଗି ଗୋଟିଏ ସୁନ୍ଦର ଫୁଲବଗିଚା ଅଛି । ଜାପାନୀ ବାଳକଟି ଫୁଲଗଛରେ ପାଣି ଦେଉଛି, ବାଳକଟି ଫୁଲ ତୋଳୁଛି ।

 

କାହ୍ନୁ ବାଳିକା ପାଖକୁ ଯାଇ ପଚାରିଲା–ଏ ଫୁଲ କ’ଣ ହେବ ?

 

ବାଳିକା–ଫୁଲରେ ଆମେ ଘର ସଜାଉ । ଏହା ଆମର ପ୍ରତିଦିନର କାମ ।

 

ଜାପାନ ଦେଶରେ ସୁନ୍ଦର ଜିନିଷର ଆଦର ଖୁବ୍ ବେଶି । ବଗିଚାର ଫୁଲ ତୋଳି ଘର ସଜାଇବା ଓ ଘରଗୁଡ଼ିକ ସଫାସୁତୁରା ରଖିବା ଏ ଦେଶର ବାଳିକାମାନଙ୍କ କାମ ।

 

ବଗିଚା କାମ ସାରି ବାଳକ ବାଳିକା ଦୁଇଜଣ ସ୍କୁଲକୁ ବାହାରିଲେ । ସେ ଦେଶର ପାଠପଢ଼ା ଦେଖିବା ପାଇଁ କାହ୍ନୁ ଓ ଜହ୍ନମାମୁଁ ତାଙ୍କ ସାଙ୍ଗେ ସାଙ୍ଗେ ଗଲେ । ସ୍କୁଲରେ ପହଞ୍ଚି ଦେଖିଲେ ଯେ ସେଠାରେ ପିଲାମାନଙ୍କର ପାଟିତୁଣ୍ଡ ଆଦୌ ନାହିଁ । ସେମାନେ ଚୁପ୍‌ଚାପ୍ ହୋଇ ପାଠ ପଢ଼ୁଛନ୍ତି ।

 

ଜହ୍ନମାମୁଁ ସ୍କୁଲର ମାଷ୍ଟରଙ୍କୁ ପଚାରି ବୁଝିଲେ ଯେ, ତାଙ୍କ ଦେଶରେ ପାଠପଢ଼ା ବାଧ୍ୟତାମୂଳକ । ଛ’ବର୍ଷଠାରୁ ଚଉଦ ବର୍ଷ ପର୍ଯ୍ୟନ୍ତ ବାଳକ ବାଲିକାମାନଙ୍କୁ ସ୍କୁଲ ଯିବାକୁ ବାଧ୍ୟ କରାହୁଏ । ସେ ଦେଶର ପିଲାମାନେ ଖୁବ୍ ଶାନ୍ତ ଓ ଶିଷ୍ଟ । ସ୍କୁଲକୁ ଯିବା ବାଟରେ, ସ୍କୁଲରେ କିମ୍ବା ଖେଳପଡ଼ିଆରେ ସେମାନେ କେବେହେଁ କଳିକଜିଆ କରନ୍ତି ନାହିଁ । ଜାପାନୀ ଭାଷା ଶିଖିବା ଓ ଲେଖିବା ସହଜ ନୁହେଁ । ସେଥିପାଇଁ ପିଲାମାନଙ୍କ ଖୁବ୍ ମନଦେଇ ଓ ପରିଶ୍ରମ କରି ଲେଖାପଢ଼ା କରିବାକୁ ହୁଏ ।

 

ସେମାନେ ବହିର ଡାହାଣ ଦିଗରୁ ପଢ଼ନ୍ତି । ପ୍ରତି ପୃଷ୍ଠାର ଧାଡ଼ିଗୁଡ଼ିକ ତଳୁ ଆରମ୍ଭ କରି ସଳଖ ଭାବରେ ଉପର ଆଡ଼କୁ ପଢ଼ନ୍ତି । ଲେଖିବାର ପ୍ରଣାଳୀ ମଧ୍ୟ ଏହିପରି ।

 

କୁସ୍ତି ଜାପାନ ଦେଶର ଅତି ପ୍ରିୟ ବ୍ୟାୟାମ । ଜାପାନୀମାନେ ମାଲମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ କରନ୍ତି । ସେ ଦେଶର ପ୍ରତି ସ୍କୁଲରେ ଯୁଯୁତ୍ସୁ ପେଞ୍ଚ ଶିକ୍ଷା ଦିଆଯାଏ ।

 

ସ୍କୁଲ ଦେଖିସାରି କାହ୍ନୁ ଓ ଜହ୍ନମାମୁଁ ଘରକୁ ଫେରି ଆସିଲେ । ଘରେ ଜାପାନୀ ସ୍ତ୍ରୀଲୋକଟି ଅରଟରେ ରେଶମ ସୂତା କାଟୁଥିଲା ।

 

ଜହ୍ନମାମୁଁ ପଚାରିଲେ–ତମେ ଏ ରେଶମ କୁଆଡ଼ୁ ଆଣିଲ ?

 

ସ୍ତ୍ରୀଲୋକଟି କହିଲା–ଆମେ ଘରେ ଘରେ ରେଶମ ପୋକ ପାଳୁ । ଏ ପୋକଗୁଡ଼ିକ ତୁତଗଛର ପତ୍ର ଖାଇ ବଞ୍ଚନ୍ତି । ସେଥିପାଇଁ ପର୍ବତର ଢାଲୁ ଅଞ୍ଚଳମାନଙ୍କର ଆମେ ତୁତଗଛ ଚାଷ କରୁ । ରେଶମ ଲୁଗା ବୁଣିବା ଆମ ଦେଶର ଗୋଟିଏ ପ୍ରଧାନ ଗୃହଶିଳ୍ପ ।

 

ଜହ୍ନମାମୁଁ–ତମ ଦେଶରେ ତେବେ ରେଶମ ଲୁଗା ଶସ୍ତାରେ ମିଳୁଥିବ ?

 

ସ୍ତ୍ରୀଲୋକ–ହଁ, ରେଶମ ସୂତା କାଟିବା ଓ ସେହି ସୂତାରୁ ଲୁଗା ବୁଣିବା ଆମ ଦେଶର ଗୋଟିଏ ପ୍ରଧାନ ଶିଳ୍ପ । ଏହି ଶିଳ୍ପ ପାଇଁ ଆମ ଦେଶରେ କେତେଗୁଡ଼ିଏ ବଡ଼ ବଡ଼ କଳକାରଖାନା ଅଛି ।

 

ଜହ୍ନମାମୁଁ–ଆମେ ତମ ଘରେ ଦୁଇଦିନେ ହେଲା କୁଣିଆ ହୋଇ ରହିଲୁଣି । ବିଦାୟ ଦିଅ, ଆମେ ଘରକୁ ଫେରିଯିବୁ ।

 

କାହ୍ନୁ କହିଲା–ତମ ଦେଶଟି ଭାରି ସୁନ୍ଦର ଦେଶ । ତମ ଘରଗୁଡ଼ିକ କି ପରିଷ୍କାର ପରିଚ୍ଛନ୍ନ ! ଫୁଲିଦେଇ ସେଗୁଡ଼ିକ ସଜାଇଛ–ଆହୁରି ସୁନ୍ଦର ଦିଶୁଛି । ଆଉ ତମର ପୋଷାକ ସବୁ ରଙ୍ଗଢଙ୍ଗିଆ ଯେମିତି, ଚକଚକିଆ ବି ସେମିତି । ମୋର ଭାରି ଇଚ୍ଛା, ତମ ପୁଅ ଝିଅଙ୍କ ସାଙ୍ଗରେ ଖେଳିବା ପାଇଁ ଆଉ ଦିନେ ଦୁଇଦିନ ତମ ଘରେ ରହନ୍ତି ।

 

ଜହ୍ନମାମୁଁ–ନାହିଁରେ କାହ୍ନୁ ! ଆମେ ଆହୁରି କେତେ ଦେଶ ବୁଲିବା । ଗୋଟାଏ ଦେଶରେ ବେଶୀ ଦିନ ରହିଲେ ଚଳିବ ନାହିଁ ।

 

ଜାପାନୀ ସ୍ତ୍ରୀଲୋକ–ନାହିଁ ମାମୁଁ ! କାହ୍ନୁ ମନରେ ଦୁଃଖ କରିବ । ସେ ଆମ ଦେଶର ଗୋଟିଏ ଗପ ଶୁଣିଯାଉ ।

 

କାହ୍ନୁ–କି ଗପ କହିବ ମାଉସୀ ?

 

ସ୍ତ୍ରୀଲୋକ–ଆମ ଦେଶର ଜଣେ କେଉଟ ପିଲା ଗପ କହିବି । ତା’ ନାମ ଉରାଶିମା ତାରୋ ।

 

କାହ୍ନୁ–ଏଡ଼େ ବଡ଼ ନାଁଟେ !

 

ସ୍ତ୍ରୀଲୋକ–ତାକୁ ସମସ୍ତେ ତାରୋ, ତାରୋ ବୋଲି ଡାକନ୍ତି । ପିଲାଟି ଭାରି ଚାଲାକ ଚତୁର ।

 

ଦିନେ ତାରୋ ମାଛମାରି ସାରି ତା’ଘରକୁ ଫେରୁଥିଲା । ବାଟରେ ଦେଖିଲା କେତେଜଣ ଦୁଷ୍ଟ ପିଲା ଗୋଟିଏ କଇଁଛକୁ ଧରି ଖେଳୁଛନ୍ତି । ଜଣେ ପିଲା ଖଣ୍ଡେ ବଡ଼ ପଥର ଆଣି କଇଁଛ ପିଠି ଉପରେ ଦୁମ୍ କରି କଚାଡ଼ି ଦେଲା । ଆଉ ଜଣେ ପିଲା ଖଣ୍ଡେ ବାଡ଼ିରେ କଇଁଛକୁ ବାଡ଼େଇଲା । ଆଉ ଜଣେ ପିଲା ବାଡ଼ି ଧରି କଇଁଛ ମୁହଁ ପାଖରେ ଭୁଷି ଦେଉଥାଏ ।

 

ଏହା ଦେଖି ତାରୋ ଭାରି ରାଗିଯାଇ କହିଲା–ଦୁଷ୍ଟ ପିଲାମାନେ ! ତମେମାନେ ଏ ନିରୀହ କଇଁଛଟାକୁ ଏପରି କଲବଲ କରୁଛ କିଆଁ ? ସମୁଦ୍ରରେ ଛାଡ଼ି ନ ଦେଲେ କଇଁଛଟି ମରିଯିବ ସିନା !

ପିଲାମାନେ ପରିହାସ କରି କହିଲେ –ତୋର କ’ଣ ହେଲା ?

ତାରୋ ସେଦିନ ମାଛଧରି ଯାହା ରୋଜଗାର କରିଥିଲା ସେତକ ଟଙ୍କା ଦେଇ ପିଲାମାନଙ୍କ ପାଖରୁ କଇଁଛଟି କିଣି ନେଲା ।

ତାରୋ କଇଁଛଟି ହାତରେ ଧରି ସମୁଦ୍ର କୂଳକୁ ଗଲା । ତାକୁ ପାଣିରେ ଛାଡ଼ିଦେଇ ଘରକୁ ଫେରି ଆସିଲା ।

ତାରୋର ବାପା ତା’ଉପରେ ଭାରି ବିରକ୍ତ ହୋଇ କହିଲେ–ତୁ କେଡ଼େ ନିର୍ବୋଧ ! କଇଁଛଟା ପାଇଁ ତୋର ଦିନକର ଆୟ ଅକାରଣେ ଖରଚ କରିଦେଲୁ ? ଦେଖ୍, କାଲି ଖୁବ୍ ସକାଳୁ ଉଠି ମାଛ ଧରିବାକୁ ଯିବୁ । ଖୁବ୍ ବେଶୀ ମାଛ ଧରିବୁ । ଆଜି ଯେଉଁ କ୍ଷତି ହେଲା କାଲି ସେ କ୍ଷତି ପୂରଣ କରିବୁ ।

ତାରୋ ରାତି ପାହାନ୍ତିଆରୁ ଉଠି ସମୁଦ୍ରକୂଳକୁ ଗଲା । ଡଙ୍ଗାରେ ଚଢ଼ି ସମୁଦ୍ର ଭିତରେ ବହୁତ ଦୂରକୁ ଗଲା ।

ତାରୋ ଶୁଣିଲା କେହି ତାର ନାମ ଧରି ଡାକୁଛି । ସେ ଡଙ୍ଗା ଚାରିପାଖକୁ ଅନାଇ ଦେଖିଲା–କେହି କୁଆଡ଼େ ନାହିଁ । ପୁଣି ଡାକ ଶୁଣିଲା–ତାରୋ, ତାରୋ !

ତାରୋ ଦେଖିଲା, ଗୋଟିଏ କଇଁଛ ତା’ ଡଙ୍ଗା ପାଖରେ ପହଁରୁଛି ।

ତାରୋ କହିଲା–ରେ କଇଁଛ ! ତୁ ମୋତେ ଡାକିଲୁ ?

କଇଁଛ–ହଁ, ମୁଁ ଡାକିଲି । ତମେ କାଲି ସେହି ଦୁଷ୍ଟ ବାଳକଙ୍କ ହାତରୁ ମୋତେ ଉଦ୍ଧାର କଲ । ତମକୁ ସେଥିପାଇଁ ଧନ୍ୟବାଦ ଦେବାକୁ ଆସିଛି ।

କଇଁଛ ପୁଣି କହିଲା–ତାରୋ ! ତମେ ସର୍ପରାଜଙ୍କ ଘର ଦେଖିଛ କି ?

ତାରୋ ମୁଣ୍ଡ ହଲାଇ କହିଲା–ନାଁ, ନାଁ, ମୁଁ ସର୍ପରାଜ କଥା ଶୁଣିଛି । କିନ୍ତୁ ତାଙ୍କ ଘର କେବେ ଦେଖି ନାହିଁ ।

କଇଁଛ କହିଲା–ତାଙ୍କ ଘରକୁ ଯିବ ତ ମୋ ପିଠିରେ ବସ । ତମକୁ ସେଠାକୁ ନେଇଯିବି-

ତାରୋ କହିଲା–ସେ ରହନ୍ତି କେଉଁଠାରେ ?

କଇଁଛ–ସମୁଦ୍ରର ଗଭୀର ଜଳ ତଳେ ସେ ଘର କରି ରହନ୍ତି ।

ତାରୋ କଇଁଛ ପିଠି ଉପରେ ବସିଲା । କଇଁଛ ତାରୋକୁ ପିଠିରେ ନେଇ ନିଳସମୁଦ୍ରର ତଳକୁ ତଳକୁ ଆହୁରି ତଳକୁ ବୁଡ଼ି ବୁଡ଼ି ଚାଲିଥାଏ ।

ସମୁଦ୍ର ତଳେ ପହଞ୍ଚି ତାରୋ ଗୋଟିଏ ସୁନ୍ଦର ବଗିଚା ଦେଖିଲା । ବଗିଚାରେ ଅଦ୍ଭୁତ ଧରଣର ଗଛ ଓ ଫୁଲସବୁ ହୋଇଥାଏ । ତା’ମଝିରେ ଗୋଟିଏ ଅତି ସୁନ୍ଦର କୋଠାଘର ଦିଶିଲା ।

ତାରୋ ଆଶ୍ଚର୍ଯ୍ୟହୋଇ କଇଁଛକୁ କଥା କହିବ ବୋଲି ପଛକୁ ମୁହଁ ଫେରାଇଲା । କିନ୍ତୁ ଦେଖିଲା କଇଁଛ ନାହିଁ, ତା’ସ୍ଥାନରେ ଗୋଟିଏ ସୁନ୍ଦରୀ ରାଜକୁମାରୀ ଠିଆ ହୋଇଛି । ରାଜକୁମାରୀଟି ଚକଚକିଆ ପୋଷାକ ପିନ୍ଧିଥାଏ ଆଉ ତା’ ମୁଣ୍ଡରେ ଗୋଟିଏ ମୁକୁଟ ଶୋଭା ପାଉଥାଏ ।

ରାଜକୁମାରୀ କହିଲେ–ତାରୋ ! ଭୟ କର ନାହିଁ, ଆସ । ମୋ ବାପା ଯେ ସର୍ପରାଜ ତାଙ୍କ ପାଖକୁ ତୁମକୁ ନେଇଯିବି । ତମେ ଆମର ଯେଉଁ ଉପକାର କରିଛ, ସେଥିପାଇଁ ଆମେ ତମକୁ ଧନ୍ୟବାଦ ଦେବୁ ।

ତାରୋ ଆଶ୍ଚର୍ଯ୍ୟ ହୋଇ ପଚାରିଲା–ଉପକାର? ମୁଁ କେବେ ତମର ଉପକାର କଲି ?

ରାଜକୁମାରୀ କହିଲେ–ଶୁଣ ତାରୋ ! ବର୍ଷରେ ଥରେ ମୁଁ କଇଁଛ ରୂପ ଧାରଣ କରେ । କଇଁଛ ହୋଇ ମୁଁ ଆମ ରାଜ୍ୟଠାରୁ ଅନେକ ଦୂରକୁ ପହଁରି ପହଁରି ଚାଲିଯାଏ । କାଲି ତମ ଦେଶକୁ ଯାଇଥିଲି । ତମେ ସେହି ଦୁଷ୍ଟପିଲାଙ୍କ ଠାରୁ ମୋତେ ଉଦ୍ଧାର କଲ । ରାଜକୁମାରୀ ତାରୋକୁ ତାଙ୍କ ଘରକୁ ପାଛୋଟି ନେଲେ ।

ସର୍ପରାଜ ଆସି ତାରୋକୁ ଧନ୍ୟବାଦ ଜଣାଇ କହିଲେ–ତମେ ଏହି ରାଜକୁମାରୀକୁ ବିପଦରୁ ରକ୍ଷା କରିଛ । ମୋର ଏହି ରାଜପ୍ରାସାଦରେ ତମେ ଯେତେଦିନ ଇଚ୍ଛା ସେତେଦିନ ରହିପାର ।

ସର୍ପରାଜ କହିଲେ–ତାରୋ ! ତମ ବୟସ କେତେ ?

ତାରୋ–ମୋର ସତର ବର୍ଷ ଚାଲିଛି ।

ସର୍ପରାଜ–ତମେ ଆଉ କେତେ ବର୍ଷ ବଡ଼ ହେବାକୁ ଇଚ୍ଛାକର ?

ତାରୋ–ଆଉ ଚାରିବର୍ଷ ବଡ଼ ହେବାକୁ ଚାହେଁ ।

ସର୍ପରାଜ–ହେଉ, ତୁମେ ଏକୋଇଶ ବର୍ଷର ଯୁବକ ହୁଅ । ଏହି ରାଜପ୍ରାସାଦରେ ଥିବାଯାଏ ତମେ ଏକୋଇଶ ବର୍ଷର ଯୁବକ ଥିବ । ତମ ବୟସ ଆଉ ଅଧିକ ହେବ ନାହିଁ ।

ତାରୋ ରାଜପ୍ରାସାଦରେ ରହି ସୁଖରେ କାଳ କଟାଇଲା । ରାଜକୁମାରୀ ତାରୋକୁ ଯେମିତି ଭଲ ପାଇଲେ, ତାରୋ ମଧ୍ୟ ରାଜକୁମାରୀଙ୍କୁ ସେହିପରି ଭଲ ପାଇଲା । କିଛିଦିନ ପରେ ଦୁହିଁଙ୍କର ବିବାହ ହେଲା ।

ତାରୋ ରାଜପ୍ରାସାଦରେ ଦୀର୍ଘକାଳ ରହି ତା’ ଗାଁ କଥା, ତା’ ବାପା ମାଁ’ଙ୍କ କଥା ଭୁଲିଗଲା ।

ଦିନେ ତାରୋ ମୁହଁ ଶୁଖାଇ ବସିଥାଏ । ରାଜକୁମାରୀ ତାରୋକୁ ଦେଖି ପଚାରିଲେ–କି ହୋ ! ତମ ମୁହଁରେ ଆଜି ହସ ନାହିଁ ଯେ !

ତାରୋ କହିଲା–ମୋର ଜନ୍ମସ୍ଥାନ ଜାପାନ ଦେଶରେ । ମୋର ବାପା ମା’ ଅଛନ୍ତି । ସେମାନେ ବୁଢ଼ା ହେଲେଣି । ମୁଁ ଯଦି ଶୀଘ୍ର ଘରକୁ ନ ଯାଏ ତେବେ ତାଙ୍କୁ ଦେଖିପାରିବି ନାହିଁ ।

ରାଜକୁମାରୀ–ତମେ ତେବେ ମୋତେ ଛାଡ଼ି ଚାଲିଯିବ ?

ତାରୋ–ନାଁ, ମୁଁ ଦିନକ ସକାଶେ ଯିବି । ବାପା ମା’ଙ୍କୁ ଦେଖି ପୁଣି ଫେରି ଆସିବି ।

ରାଜକୁମାରୀ–ହେଉ, ଯାଅ । ଏହି ସୁନା ବାକ୍‌ସଟି ନେଇଯାଅ । ବହି ବାକ୍‌ସ ମୋ କଥା ତୁମକୁ ସ୍ମରଣ କରାଇଦେବ ।

ରାଜକୁମାରୀ ତାରୋକୁ ଗୋଟିଏ ସାନ ସୁନାର ବାକ୍‌ସ ଦେଲେ । ବାକ୍‌ସଟି ରୂପା ସୂତାରେ ବନ୍ଧା ହୋଇଥାଏ ।

ରାଜକୁମାରୀ କହିଲେ–ଦେଖ ! ଏହା ଭିତରେ ଅମୂଲ୍ୟ ସମ୍ପଦ ରହିଛି । ତମେ ଯେଉଁଆଡ଼େ ଯିବ, ବାକ୍‌ସଟିକୁ ସାଙ୍ଗରେ ନେଇଯିବ । କିନ୍ତୁ ମନେରଖ, ଏହାକୁ ଖୋଲିବ ନାହିଁ ।

ତାରୋ ରାଜକୁମାରୀଙ୍କ ଠାରୁ ବିଦାୟ ନେଇ ରାଜପ୍ରାସାଦର ବଗିଚାକୁ ଗଲା । ସେଠାରେ ଗୋଟିଏ କଇଁଛ ତାକୁ ଜାପାନ ନେଇଯିବା ପାଇଁ ଅପେକ୍ଷା କରିଥିଲା ।

ତାରୋ କଇଁଛ ପିଠିରେ ବସିଲା । କଇଁଛ ସମୁଦ୍ରରେ ପହଁରି ପହଁରି ଜାପାନ ଦେଶରେ ପହଞ୍ଚିଲା । ସେଠାରେ ତାରୋକୁ ଓହ୍ଲାଇ ଦେଇ ତାହାଠାରୁ ବିଦାୟ ନେଇ ଫେରି ଆସିଲା ।

ତାରୋ ଦେଖିଲା ତାହାର ପୂର୍ବ ଘର ଆଉ ନାହିଁ । ସେହି ସ୍ଥାନରେ ଆଉ ଗୋଟିଏ ବଡ଼ ଘର ଠିଆ ହୋଇଛି ।

ତାରୋ ଦୁଆରେ ଠିଆ ହୋଇ ଡାକ ପକାଇଲା–ବାପା, ବାପା !

ଘର ଭିତରୁ ଜଣେ ଲୋକ ବାହାରି ଆସିଲା, କିନ୍ତୁ ସେ ତାରୋର ବାପା ନୁହନ୍ତି ।

ଲୋକଟି ପଚାରିଲା–ତମେ କିଏ ?

ତାରୋ ତାହାର ପରିଚୟ ଦେଲା । ଲୋକଟି ଠୋ ଠୋ ହୋଇ ହସି କହିଲା–ତାରୋ ! ସେ ତିନିଶହ ବର୍ଷ ହେଲା ମଲାଣି ।

ତାରୋ କହିଲା–ମୁଁ ସେହି ତାରୋ । ବର୍ଷେ ଦୁଇବର୍ଷ ହେଲା ମୁଁ ଘରେ ନ ଥିଲି । ମୋ ବୁଢ଼ାବାପା ଓ ବୁଢ଼ୀମା’ଙ୍କୁ ଦେଖିବା ପାଇଁ ଏବେ ଆସିଛି ।

ଲୋକଟି କହିଲା– ତମେ ଯଦି ପ୍ରକୃତରେ ତାରୋ ହୋଇଥାଅ, ତେବେ ତମେ ତିନିସହ ବର୍ଷ ପରେ ଆସିଛ । ଏତିକି କହି ସେ କବାଟ ବନ୍ଦ କରି ଘର ଭିତରକୁ ଚାଲିଗଲା ।

ତାରୋ ଧୀରେ ଧୀରେ ପାଦ ପକାଇ ସମୁଦ୍ର କୂଳକୁ ଗଲା । ସେ ପ୍ରକୃତରେ ଦେଖିଲା ଯେ ତା’ ଗାଁ ପୂରାପରି ବଦଳି ଯାଇଛି । ବର୍ଷେ ଦୁଇବର୍ଷ ନୁହେଁ–ତିନିସହ ବର୍ଷ ବିତିଗଲାଣି, କେତେ ଅଦଳ ବଦଳ ହେଲାଣି ।

ତାରୋ ମନେ ମନେ ଭାବିଲା–ମୋ ବାପା ମା’ ତ ମଲେଣି । ମୁଁ ଏଠାରେ ରହିବି କାହିଁକି ? ରାଜକୁମାରୀ ପାଖକୁ ଯାଇ ସମୁଦ୍ର ତଳେ ରାଜପ୍ରାସାଦରେ ରହିବି ।

ସମୁଦ୍ର କୂଳରେ ତାରୋ ଆଉ ସେ କଇଁଛକୁ ଦେଖିବାକୁ ପାଇଲା ନାହିଁ । ରାଜପ୍ରାସାଦକୁ ଯିବ କିପରି ? ତାହାର ଆଉ ସାହାଭରସା କେହି ନାହାନ୍ତି, ଅଛି କେବଳ ସେହି ସୁନା ବାକ୍‌ସଟି ।

ତାରୋ ରୂପ ବାନ୍ଧୁଣି ଛିଡ଼ାଇ ଦେଇ ସୁନା ବାକ୍‌ସଟି ଖୋଲିଲା । ତାହା ଭିତରୁ ନୀଳରଙ୍ଗର ଧୂଆଁ ବାହାରିଲା ।

ସାଙ୍ଗେ ସାଙ୍ଗେ ତାରୋର ଅଦ୍ଭୁତ ପରିବର୍ତ୍ତନ ଘଟିଲା । ହଠାତ୍ ତାହାର ବାଳପାଚିଗଲା, ତା’ ଆଖିକୁ କିଛି ଦିଶିଲା ନାହିଁ । ତାର କୁଜ ବାହାରି ପଡ଼ିଲା । ସେ ଆଉ ଏକୋଇଶ ବର୍ଷର ଯୁବକ ନୁହେଁ–ସେ ଜଣେ ବୁଢ଼ା ମଣିଷ । ତାରୋକୁ ଏ ଅବସ୍ଥା ଆଉ ବେଶିଦିନ ଭୋଗିବାକୁ ପଡ଼ିଲା ନାହିଁ । ସେ ସେହିଠାରେ ଭୂଇଁରେ ଟଳିପଡ଼ିଲା ।

ତହିଁଆର ଦିନ ସକାଳେ ଦୁଇଜଣ କେଉଟ ମାଛ ଧରିବାକୁ ଆସି ଦେଖିଲେ ଯେ ଜଣେ ବୁଢ଼ା ମରି ପଡ଼ିଛି । ତା’ପାଖରେ ଗୋଟିଏ ସୁନାର ବାକ୍‌ସ ପଡ଼ିଛି । ସେମାନେ ଦେଖିଲେଯେ ବାକ୍‌ସ ଭିତରେ କିଛି ନାହିଁ ।

ତାଙ୍କ ଭିତରୁ ଜଣେ ତା’ସଙ୍ଗୀକୁ ପଚାରିଲା–ଏହି ବୁଢ଼ାକ’ଣ କାଲି ତମ ସାଙ୍ଗରେ କଥାଭାଷା ହେଉଥିଲା ।

ସଙ୍ଗୀ କହିଲା–ନାଁ ନାଁ । ଏ ସେ ନୁହେଁ । ସେ ଜଣେ ଭେଣ୍ଡିଆ–ନାମ ତା’ର ତାରୋ ।

ଗପ ସରିଲା । କାହ୍ନୁ ଓ ଜହ୍ନମାମୁଁ ଜଣ ଜଣ କରି ଜାପାନୀ ପରିବାର ସମସ୍ତଙ୍କଠାରୁ ବିଦାୟ ନେଲେ । ଜାପାନୀ ବାଳକ କାହ୍ନୁକୁ ଗୋଟିଏ ନଟୁ ଉପହାର ଦେଲା । ବାଳିକାଟି ତାଙ୍କ ଦେଶର ପଙ୍ଖାଟିଏ ଉପହାର ଦେଲା ।

କାହ୍ନୁ ଓ ଜହ୍ନମାମୁଁ ଠେକୁଆ ପିଠିରେ ବସି ଆକାଶରେ ଉଡ଼ି ଉଡ଼ି ଆସି କାହ୍ନୁ ଘରେ ପହଁଞ୍ଚିଲେ । କାହ୍ନୁକୁ ତା’ଘରେ ଛାଡ଼ିଦେଇ ଜହ୍ନମାମୁଁ ଆକାଶ ରାଇଜକୁ ଉଡ଼ିଗଲେ । ଗଲାବେଳେ କହିଗଲେ–କାହ୍ନୁ ! ମୁଁ ପୁଣି ଦିନେ ଆସିବି । ସାଙ୍ଗ ହୋଇ ଆଉ ଗୋଟିଏ ଦେଶକୁ ବୁଲିବାକୁ ଯିବା-

Image